ରୟାଲ ମ୍ୟୁଜିକ୍ ପକ୍ଷରୁ ପଞ୍ଚମ ମେଗା ମ୍ୟୁଜିକାଲ୍ କନ୍‌ସର୍ଟ ‘ସ୍ୱରରଙ୍ଗ’ ଧୁମ୍‌ଧାମରେ ଆୟୋଜିତ

Total Views : 26
Zoom In Zoom Out Read Later Print

ସଙ୍ଗୀତ ଓ ନୃତ୍ୟରେ ଝୁମିଲେ ଦର୍ଶକ, ବହୁ ବିଶିଷ୍ଟ କଳାକାର ଓ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା



ବ୍ରହ୍ମପୁର, ୧୫/୧୧: ଗଞ୍ଜାମ ଜିଲ୍ଲାର ସୁନାମଧନ୍ୟ ସାମାଜିକ ସଙ୍ଗୀତ ଅନୁଷ୍ଠାନ ରୟାଲ ମ୍ୟୁଜିକ୍ ଆଣ୍ଡ ଏଣ୍ଟରଟେନମେଣ୍ଟ ଗ୍ରୁପ୍ ପକ୍ଷରୁ ପଞ୍ଚମ ମେଗା ମ୍ୟୁଜିକାଲ୍ କନ୍‌ସର୍ଟ ‘ସ୍ୱରରଙ୍ଗ’ ସ୍ଥାନୀୟ ଗଞ୍ଜାମ କଳା ପରିଷଦର କବିସୂର୍ଯ୍ୟ ରଙ୍ଗମଞ୍ଚରେ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଦିନତମାମ ଚାଲିଥିବା ଏହି ଭବ୍ୟ ସାଂସ୍କୃତିକ ସମାରୋହରେ ବହୁ କଣ୍ଠଶିଳ୍ପୀ, ନୃତ୍ୟଶିଳ୍ପୀ, ଅଭିନେତା ଓ କଳାପ୍ରେମୀଙ୍କ ସମାଗମ ହୋଇଥିଲା।

କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ବିଧିବଦ୍ଧ ଭାବେ ଉଦ୍‌ଘାଟନ କରିଥିଲେ। ରୟାଲ ମ୍ୟୁଜିକ୍‌ର ସଭାପତି ରମେଶ ଚନ୍ଦ୍ର ସେଠୀଙ୍କ ପୌରୋହିତ୍ୟରେ ଆୟୋଜିତ ସାଂସ୍କୃତିକ ସଭାରେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଏସ୍. କାମେଶ୍ୱର ରାଓ ମୁଖ୍ୟ ଅତିଥି, ସଙ୍ଗୀତଜ୍ଞ ବିଭୁଦତ୍ତ ନାୟକ ବିଶିଷ୍ଟ ଅତିଥି ଏବଂ ସିଟି ହସ୍ପିଟାଲର ସୁପରିନଟେଣ୍ଡେଣ୍ଟ ଡା. ରାମଚନ୍ଦ୍ର ମହାନ୍ତି, ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘର ସଭାପତି ଡା. ତିରୁପତି ସାହୁ, ନାଟ୍ୟ ନିର୍ଦ୍ଦେଶକ ତଥା ସଂଗଠକ ନାଟ୍ୟକାର ରମେଶ ମହାରଣା ଓ ଗଞ୍ଜାମ କଳା ପରିଷଦର ସାଧାରଣ ସମ୍ପାଦକ ଇଂ. ଅପୂର୍ବ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ରୟାଲ ମ୍ୟୁଜିକ୍‌ର କାର୍ଯ୍ୟଧାରା ଓ ସଙ୍ଗୀତ ପ୍ରତି ଅଙ୍ଗୀକାରବଦ୍ଧତାର ଭୂୟସୀ ପ୍ରଶଂସା କରିବା ସହ ସଙ୍ଗୀତ ସାଧନା ସମାଜର ମଙ୍ଗଳ ପାଇଁ ଉଦ୍ଦିଷ୍ଟ ହେବା ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ।

ଏହି ଅବସରରେ କଳା ଓ ସଂସ୍କୃତି କ୍ଷେତ୍ରରେ ଅବଦାନ ପାଇଁ ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁ, ଆଶୁତୋଷ ମହାପାତ୍ର, ଉମାଶଙ୍କର ପାଣିଗ୍ରାହୀ, ଚିକୁ ପ୍ରତିନିଧି, ଗୋପାଳ ପଟ୍ଟନାୟକ, ସୁନୀର ବିଶ୍ୱାସ, ଅନନ୍ତ ରାମ ପ୍ରଧାନ, ବ୍ରହ୍ମପୁରର ଟିଭି ଗୋପାଳ ପଟ୍ଟନାୟକ ଓ ନାଗେଶ୍ୱର ପ୍ରମୁଖଙ୍କୁ ଅନୁଷ୍ଠାନ ପକ୍ଷରୁ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ନିମନ୍ତ୍ରିତ ସୁନାମଧନ୍ୟ ଚଳଚ୍ଚିତ୍ର ଅଭିନେତା ଧୀରେନ ତ୍ରିପାଠୀ, ଅଭିନେତ୍ରୀ ପ୍ରଜ୍ଞା ପରମିତା, ଖ୍ୟାତିସମ୍ପନ୍ନ ହାସ୍ୟ ଅଭିନେତା ମଧୁସୂଦନ ମିଶ୍ର ଓ ତ୍ରିଷ୍ଣା ମହାନ୍ତି ଯୋଗଦେଇଥିଲେ। ଶିଶୁ ନୃତ୍ୟଶିଳ୍ପୀ ଏନ୍. ସୁହାନୀ, ବିଜୟଲକ୍ଷ୍ମୀ ପାଢ଼ୀ, ରୁଦ୍ରାଂଶୀ ଦାସ, ନନ୍ଦିତା, ବୈଶାଖୀ ଓ ଚୌଧୁରୀ ବର୍ଷାଣୀ ପାଢ଼ୀ ନିଜ ନୃତ୍ୟ ପ୍ରତିଭା ପ୍ରଦର୍ଶନ କରିଥିଲେ। ଏଥିସହ ଶଙ୍କର ଡ୍ୟାନ୍ସ ଗ୍ରୁପ୍, ମା' ବୁଢ଼ୀ ଠାକୁରାଣୀ ଗ୍ରୁପ୍ ଓ ବେଲି ଡ୍ୟାନ୍ସର ଶୃତିଙ୍କ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା।

ସଙ୍ଗୀତ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ପିତାମ୍ବର ଆଚାରୀ, ହରିଗୋବିନ୍ଦ ମହାରଣା, ଶେଷଦେବ ପାଳ, ରୁବିନା ବାନୁ, ଲକ୍ଷ୍ମୀ ଚିନା, ଶର୍ମିଷ୍ଠା ତ୍ରିପାଠୀ, ଚାନ୍ଦିନୀ ବଡ଼ମୁଣ୍ଡୀ, ମଧୁସ୍ମିତା ଦାସ, ସାବିତ୍ରୀ ନାୟକ, ଡି. ଶ୍ରୀ (ଆନ୍ଧ୍ରପ୍ରଦେଶ), କାଳୀଚରଣ ଭଟ୍ଟ (ଭୁବନେଶ୍ୱର), ପ୍ରଶାନ୍ତ ଦାସ, ଡି. ଶେଷାଚଳମ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ। ଏଥିସହ ବ୍ରହ୍ମପୁରର ବରିଷ୍ଠ କଣ୍ଠଶିଳ୍ପୀ ହିମାଂଶୁ ଶେଖର ମିଶ୍ର, ଶେଖ୍ ରଫିକ୍, ଏମ୍.ଡି. ଇସ୍ମାଇଲ, ଅଶ୍ୱିନୀ ମହାପାତ୍ର, ଚନ୍ଦନ ଗନ୍ତାୟତ ଓ ଭୀମ ସେଠୀଙ୍କ ସଙ୍ଗୀତ ପରିବେଷଣ ଉତ୍ସବକୁ ଆହୁରି ମନୋରମ କରିଥିଲା। ବଂଶୀବାଦକ ଦେବାଂଶୁ ପାତ୍ରଙ୍କ ମନମୁଗ୍ଧକର ବଂଶୀବାଦନ ଦର୍ଶକଙ୍କ ମନ ମୋହିଥିଲା।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗ୍ରୁପ୍‌ର ମୁଖ୍ୟ ଉଦ୍‌ଘୋଷକ ସୂର୍ଯ୍ୟନାରାୟଣ ପାତ୍ର ମଞ୍ଚ ସଂଯୋଜନା କରିଥିବା ବେଳେ ହରିଗୋବିନ୍ଦ ମହାରଣା ପ୍ରାରମ୍ଭିକ ସୂଚନା ଓ ପିତାମ୍ବର ଆଚାରୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ଅନୁଷ୍ଠାନର ସଭାପତି ରମେଶ ଚନ୍ଦ୍ର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ରୟାଲ ମ୍ୟୁଜିକ୍‌ର ଏହି ପଞ୍ଚମ ମେଗା ମ୍ୟୁଜିକାଲ୍ କନ୍‌ସର୍ଟ ‘ସ୍ୱରରଙ୍ଗ’ କଳାକାର ଓ ଦର୍ଶକଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇଥିଲା।

See More

Latest Photos