ବାଘୁଆ ଓ ଧନେଇ ନଦୀରେ କମିଲା ଜଳସ୍ତର, ଆସିକାରେ ବନ୍ୟା ଆଶଙ୍କା ଟଳିଲା

Total Views : 5
Zoom In Zoom Out Read Later Print

ଅସ୍ଥାୟୀ ଜଳବନ୍ଦୀରୁ ମୁକୁଳିଲେ ଲୋକେ ସତର୍କ ରହିଛି ଜଳସମ୍ପଦ ବିଭାଗ


ଆସିକା, ୨୧/୧୧: ବାତ୍ୟା ଅକବାନ ପ୍ରଭାବରେ ଲଗାଣ ବର୍ଷା ଓ ବାଘୁଆ ଜଳଭଣ୍ଡାରରେ ଜଳପ୍ରବେଶ ବୃଦ୍ଧିକୁ ନେଇ ଦେଖା ଦେଇଥିବା ବନ୍ୟା ଆଶଙ୍କା ଏବେ ହ୍ରାସ ପାଇଛି । ଆସିକା ସମେତ ଗଞ୍ଜାମ ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିନଥିବା ଜଳସମ୍ପଦ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ସ୍ପଷ୍ଟ କରିଛନ୍ତି। ବାଘୁଆ ଓ ଧନେଇ ନଦୀ ଯୋଗୁଁ କେତେକ ସ୍ଥାନରେ ସାମୟିକ ଜଳବନ୍ଦୀ ସୃଷ୍ଟି ହୋଇଥିଲେ ମଧ୍ୟ ବର୍ତ୍ତମାନ ସେହି ସ୍ଥିତି ସୁଧୁରିଥିବା ସୂଚନା ମିଳିଛି ।ଜଳସମ୍ପଦ ବିଭାଗର ଇଞ୍ଜିନିୟର-ଇନ୍-ଚିଫ୍ ଦିଲୀପ କୁମାର ରାଉତ ଶନିବାର ଭୁବନେଶ୍ୱରରେ ସୂଚନା ଦେଇ କହିଛନ୍ତି ଯେ, ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ କୌଣସି ବନ୍ୟା ସ୍ଥିତି ନାହିଁ । ପୁରୁଷୋତ୍ତମପୁର ଠାରେ ଋଷିକୁଲ୍ୟା ନଦୀର ଜଳସ୍ତର ବିପଦ ସଙ୍କେତ ୧୬.୮୫ ମିଟର ତଳେ ରହିଛି । ବାଘୁଆ ଓ ଧନେଇ ନଦୀ ଯୋଗୁଁ କେତେକ ସ୍ଥାନରେ ହୋଇଥିବା ଅସ୍ଥାୟୀ ଜଳବନ୍ଦୀ ମଧ୍ୟ ହଟିଯାଇଛି । ଜିଲ୍ଲାର କୌଣସି ଅଞ୍ଚଳ ବର୍ତ୍ତମାନ ଜଳମଗ୍ନ କିମ୍ବା ବାହ୍ୟ ଯୋଗାଯୋଗରୁ ବିଚ୍ଛିନ୍ନ ନଥିବା ସେ ସ୍ପଷ୍ଟ କରିଛନ୍ତି।ଅନ୍ୟପକ୍ଷରେ ବାତ୍ୟା ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ବାଘୁଆ ଜଳଭଣ୍ଡାରକୁ ଜଳପ୍ରବେଶ ବୃଦ୍ଧି ପାଇଥିଲା । ଶୁକ୍ରବାର ଅପରାହ୍ଣରେ ଜଳପ୍ରବେଶ ପରିମାଣ ସେକେଣ୍ଡ ପ୍ରତି ୬୧୫ କ୍ୟୁମେକ୍ସ ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ମିଳିଥିଲା। ଏହାକୁ ନେଇ ଜଳଭଣ୍ଡାର ଓ ନଦୀର ଜଳସ୍ତର ଉପରେ ନିରନ୍ତର ନଜର ରଖାଯାଇଥିଲା।

ବାତ୍ୟା ପ୍ରଭାବ କମିଥିଲେ ମଧ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ସତର୍କତା ହ୍ରାସ କରାଯାଇନାହିଁ । ଜଳଭଣ୍ଡାର, ନଦୀ ଓ ଜଳନିଷ୍କାସନ ବ୍ୟବସ୍ଥା ଉପରେ ୨୪ ଘଣ୍ଟିଆ ନିରୀକ୍ଷଣ ଜାରି ରହିଛି । ବର୍ଷା ପରିମାଣ ଓ ଜଳଭଣ୍ଡାରକୁ ଆସୁଥିବା ଜଳର ପରିମାଣ ଅନୁଯାୟୀ ଜଳ ନିଷ୍କାସନ ସମ୍ପର୍କରେ ପଦକ୍ଷେପ ନିଆଯାଉଛି।ଏହି ପରିସ୍ଥିତିରେ ଆସିକା ବ୍ଲକ୍‌ର ନଦୀକୂଳିଆ ଓ ତଳିଆ ଅଞ୍ଚଳର ଲୋକଙ୍କୁ ଅଧିକ ସତର୍କ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି। ନଦୀର ଜଳସ୍ତର ଉପରେ ନଜର ରଖିବା ସହ ଅଧିକାରୀଙ୍କ ପରାମର୍ଶ ପାଳନ କରିବାକୁ କୁହାଯାଇଛି।ତେବେ ବାତ୍ୟା ଓ ବନ୍ୟା ଆଶଙ୍କାରେ ପୂର୍ବରୁ ଚିନ୍ତାରେ ଥିବା ଆସିକା ଅଞ୍ଚଳବାସୀଙ୍କ ପାଇଁ ଜଳସ୍ତର ନିୟନ୍ତ୍ରଣକୁ ଆସିବା ଆଶ୍ୱସ୍ତି ଆଣିଛି । ତଥାପି ପାଣିପାଗ ଓ ନଦୀର ଜଳପ୍ରବାହ ଉପରେ ନଜର ରଖିବା ସହ ପ୍ରଶାସନିକ ସତର୍କତା ଜାରି ରହିଛି।

See More

Latest Photos