ଗଜପତି ଜିଲ୍ଲାରେ ପୁଣି ଥରେ ପରିବା ଦର ଆକାଶଛୁଆଁ
ଜିଲ୍ଲାରେ ପରିବା ଦର ଆକାଶଛୁଆଁ ଆନ୍ଧ୍ର ପରିବା ଭରସା, ଜିଲ୍ଲାରେ ଉତ୍ପାଦନ କମିଛି
ଜିଲ୍ଲାରେ ପରିବା ଦର ଆକାଶଛୁଆଁ ଆନ୍ଧ୍ର ପରିବା ଭରସା, ଜିଲ୍ଲାରେ ଉତ୍ପାଦନ କମିଛି
ପାରଳାଖେମୁଣ୍ଡି, - : ବର୍ଷାଋତୁ ଆରମ୍ଭ ହେବା ସହ ଗଜପତି ଜିଲ୍ଲାରେ ପୁଣି ଥରେ ପରିବା ଦର ଆକାଶଛୁଆଁ ହୋଇଛି ସ୍ଥାନୀୟ ଅଞ୍ଚଳରେ ପରିବା ଉତ୍ପାଦନ ହ୍ରାସ ସହ ଅଧିକାଂଶ ପରିବା ଆନ୍ଧ୍ରପ୍ରଦେଶ ସମେତ ବାହାର ରାଜ୍ୟରୁ ଆସୁଥିବାରୁ ବଜାରରେ ଦର ଅହେତୁକ ଭାବେ ବୃଦ୍ଧି ପାଇଛି। ଏହାର ସିଧାସଳଖ ପ୍ରଭାବ ସାଧାରଣ ଓ ମଧ୍ୟବିତ୍ତ ଖାଉଟିଙ୍କ ଉପରେ ପଡ଼ୁଛି। ପାରଳାଖେମୁଣ୍ଡି ପ୍ରମୁଖ ପରିବା ବଜାରରେ ବର୍ତ୍ତମାନ ବାଇଗଣ କିଲୋପିଛା ୬୦ ଟଙ୍କା, ଆଳୁ ୨୦ ଟଙ୍କା, ଟମାଟୋ ୩୦ ଟଙ୍କା, ଫୁଲକୋବି ୭୦ ଟଙ୍କା, ବଡ଼କାଙ୍କଡ଼ ୫୦ ଟଙ୍କା, ମୁନିଙ୍ଗା ୮୦ ଟଙ୍କା, ଜହ୍ନି ୬୦ ଟଙ୍କା, ଅଲଡ଼ି ୬୦ ଟଙ୍କା, କଟିକିପୋଟଳ ୮୦ ଟଙ୍କା ଏବଂ ତୋରଡ଼ା ୭୦ ଟଙ୍କା,ଭେଣ୍ଡି ୮୦ ଟଙ୍କା କଲରା ୫୦ରେ ବିକ୍ରି ହେଉଛି ସବୁଠାରୁ ଅଧିକ ଦରରେ ବିକ୍ରି ହେଉଥିବା ଦେଶୀକାଙ୍କଡ଼ର ମୂଲ୍ୟ କିଲୋପିଛା ୨୫୦ ଟଙ୍କାରେ ପହଞ୍ଚିଥିବା ବେଳେ ବିନ୍ସ ମଧ୍ୟ ୧୪୦ ଟଙ୍କାରେ ବିକ୍ରି ହେଉଛି।
ସାଧାରଣତଃ ଜିଲ୍ଲାର ଗୋଷାଣୀ ଓ କାଶୀନଗର ଅଞ୍ଚଳରେ ବ୍ୟାପକ ପରିମାଣରେ ପରିବା ଚାଷ ହୋଇଥାଏ | କିନ୍ତୁ ବର୍ତ୍ତମାନ ବର୍ଷାଋତୁ ଓ ଧାନରୁଆ କାର୍ଯ୍ୟ ଚାଲିଥିବାରୁ କେବଳ ସୀମିତ ପରିମାଣରେ କିଛି ନିର୍ଦ୍ଦିଷ୍ଟ କିସମର ପରିବା ଉତ୍ପାଦନ ହେଉଛି। ଏହାଫଳରେ ସ୍ଥାନୀୟ ବଜାରକୁ ପରିବା ଯୋଗାଣ କମିଯାଇଛି। ବ୍ୟବସାୟୀଙ୍କ କହିବା ଅନୁଯାୟୀ, ବର୍ଷା ଯୋଗୁଁ ସ୍ଥାନୀୟ ଅଞ୍ଚଳରୁ ପରିବା ସଂଗ୍ରହ ହ୍ରାସ ପାଇଛି। ଫଳରେ ଆନ୍ଧ୍ରପ୍ରଦେଶ ସମେତ ବାହାର ରାଜ୍ୟରୁ ପରିବା ଆଣିବାକୁ ପଡୁଛି। ପରିବହନ ଖର୍ଚ୍ଚ ବୃଦ୍ଧି ଓ ହୋଲସେଲ ବଜାରରେ ଦର ବଢ଼ିବାର ପ୍ରଭାବ ଖୁଚୁରା ବଜାରରେ ପଡୁଥିବାରୁ ଖାଉଟିଙ୍କୁ ଅଧିକ ଦାମ ଦେଇ ପରିବା କିଣିବାକୁ ବାଧ୍ୟ ହେବାକୁ ପଡ଼ୁଛି।
ଅନ୍ୟପଟେ ଦୈନନ୍ଦିନ ରୋଷେଇ ପାଇଁ ପରିବା କିଣିବା ଏବେ ମଧ୍ୟବିତ୍ତ ଓ ନିମ୍ନବିତ୍ତ ପରିବାର ପାଇଁ କଷ୍ଟସାଧ୍ୟ ହୋଇପଡ଼ିଛି। ବଜାରରେ ଦର ନିୟନ୍ତ୍ରଣ ପାଇଁ ପ୍ରଶାସନ କଡ଼ା ନଜର ରଖିବା ସହ କୃତ୍ରିମ ଅଭାବ ସୃଷ୍ଟି କରି ଦର ବଢ଼ାଉଥିବା ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ଖାଉଟି ଦାବି କରିଛନ୍ତି।
English